Unknown

 

 

 

 

 

 

 

 

 

 

ଭାଇ ଭାଇ ଡାକ

ଶ୍ରୀ ଭିକାରୀ ଚରଣ ପଟ୍ଟନାୟକ

 

ଭାଇ ଭାଇ ଡାକ

(ରାଗ-ବଙ୍ଗଳାଶ୍ରୀ)

 

ଭାଇ ଭାଇ ଡାକ ସଭା ସମିତିରେ

ଭିଆଇଥିଲେ ତ ମଧୁସୂଦନ,

ସେ ଭାଇ ଡାକର ମିଠା ଉଡ଼ିଗଲା

ରହିଗଲା ଖାଲି ‘‘ଭାଇ’ ବଚନ’’ । ୧ ।

ସ୍ନେହ ପୁର ଟିକ ସେ ଭାଇ ଡାକରୁ

ବୋହିନେଲେ କାହିଁ ଜନ୍ଦା ପିମ୍ପୁଡ଼ି,

ମନ୍ଦା ମନ୍ଦା ହେଲେ ପୁଣି ଭାଇ ଡାକୁଁ ।

ସେ ଭାବ ଟିକକ ଗଲାଣି ହୁଡ଼ି । ୨ ।

ଭାଇ ଡାକ ଏବେ ସଭାରେ ରହିଛି,

ଭାଇ ଡାକ ଅଛି ଭୋଟ ବେଳକୁ,

କାମ ସରିଗଲେ ଭାଇ ଡ଼ାକ ଗଲା

ଭାଇଯାକ ଗଡ଼ିଯାନ୍ତୁ ତଳକୁ । ୩ ।

ଭାଇ ଭାଇ ଯେବେ ମଧୁ ଡ଼ାକୁଥିଲେ

ସେ କାଳତ କାହିଁ ଗଲାଣି ବୁଡ଼ି,

ଘଡ଼ି ଘଡ଼ି ଯେଡ଼େ ଝଡ଼ି ଦଡ଼ ବଡ଼ି

ସେ ଭାବ କି ଅଛି ନଯାଇ ଉଡ଼ି ? । ୪ ।

ସ୍ଵାର୍ଥ-ମେଧ-ଯଜ୍ଞ ଜାଳିବା ପାଇଁକି

ଡାକ ଦେଲେ ମଧୁ ଯେ ଆବେଗରେ,

ଯଜ୍ଞ ତ ଜଳିଲା ସ୍ୱାର୍ଥ ରହିଗଲା

ଭାଇ ଭାବ ଜଳି ଗଲା ଆଗରେ । ୫ ।

ମଧୁସୂଦନଙ୍କ ପଛେ ପଛେ ତାଙ୍କ

ଭାଇ ପ୍ରେମଟିକ ଗଲା ବଦଳି,

ଭାଇଙ୍କୁ ଚାହିଁଲେ ଭଗାରି ଭାବନ।

ଭାଇ ସଙ୍ଗେ ଆଗେ ଉପୁଜେ କଳି ।୬।

ଭାଇ ଦୁଃଖେ ଆଉ ଭାଇ କାନ୍ଦୁନାହିଁ

ଭାଇ ଠାରେ ଭାଇ ହିଂସା ବଢ଼ୁଛି,

ଭାଇ ଉଠିବାକୁ ଭାଇ ବେକ ଧରି

ବଳେ ବଳେ ଭାଇ ତଳେ ମାଡ଼ୁଛି ।୭।

ମଧୁସୂଦନଙ୍କ ଯୁଗ ନାହିଁ ଆଉ

ନାହିଁ ଆଉ ଆମ ସେ କାଳ ମତି,

ଶୂନ୍ୟ ଗଗନରେ ଉଡ଼ିଲୁଣି ଆମେ

କାହିଁ ବ୍ୟାପିଲାଣି ଆମରି ଗତି ।୮।

ଆମ ଭାଇ ଭାବ ଡେଇଁ ଆଗ ସୀମା

ମାଡ଼ି ଗଲାଣି ତ ଦୂର ଦୂରକୁ,

କାଳେ କେ ଖୁଣିବ ଆମ ଉଦାରତା

ଡରେ ଚାହୁଁ ନାହୁଁ ଆମେ ଘରକୁ ।୯।

ସାଇ ପଡ଼ିଶା ତ ଗଡ଼ି ସଢ଼ିଗଲେ

ପଡ଼ି ରହିଥିବେ ମୁହଁକୁ ମାଡ଼ି,

ତାଙ୍କୁ ଲୋଡ଼ିବା ତ ନୋହେ ଆଗ କାମ

ଦୂର ଦୂରାନ୍ତର ବନ୍ଧୁଙ୍କୁ ଛାଡ଼ି ।୧୦।

ଦୂର ଅତିଥିଙ୍କ ସେବା ପାଇଁ ସିନା

ଭାଇଙ୍କ ଭାତରେ ବସାଉଁ ଭାଗ,

ଆପଣା ଭାଇଙ୍କୁ ପଛକୁ ପକାଇ

ଅତିଥିଙ୍କ ମୁହଁ ସମ୍ଭାଳୁ ଆଗ । ୧୧ ।

ଯେତେ ଉଦାରତା ବଢ଼ିଲେ ଆମର

ଘରେ ଭାଇ ଭାବ ନ ହେଲେ ଟାଣ,

ସ୍ଵାଧୀନତା ପାଇ ସ୍ଵାଧୀନତା ସୁଖ

ତିଳେ ନ ପାଇବା ଏ ମୂଳ ଜାଣ । ୧୨।

ଭାଇ ଡ଼ାକର ତ ମହତ ଗଲାଣି

ଭାଇ ପଣ ଆପେ ଯାଉଛି ଲୁଚି,

ସେହି ଭାଇ ଭାବ ପୁଣ ନ ଜାଗିଲେ

ଆମ ଦୁଃଖ ଦଶା ନଯିବ ଘୁଞ୍ଚି ।୧୩ ।

ମଧୁସୂଦନଙ୍କ ଭାଇ ଭାଇ ଡ଼ାକ

ବାଜିଗଲେ ଥରେ ଭାଇ କାନରେ,

ବିଜୁଳି ଝଟକେ ଆହା କି ଆନନ୍ଦ

ଖେଳି ଯାଉଥିଲା ଭାଇ ମନରେ । ୧୪ ।

ଆଜି ଭାଇ ଡାକ ସଙ୍ଗେ ସେ ଆନନ୍ଦ

ତିଳେ ହେଲେ ଜଣା ପଡ଼େ ତ ନାହିଁ ,

ବଳେ ବଳେ ଶଙ୍କା ହୁଏ ମନେ ମନେ

କେ ଜାଣି କି କୁଟ ଗୋପନେ ଥାଇଁ । ୧୫ ।

ଭାଇ ଡାକ ଶୁଣି ଡର ମାଡ଼ିଲାଣି

କେଜାଣି କି ଯୋଗ ଅଛି କରମେ,

ଭାଇ ଡାକିବାକୁ ସରମ ମାଡ଼ୁଛି

ଘାରି ହେଉ ଥାଇଁ ସିନା ମରମେ । ୧୬ ।

ନିରୋଳ ସରଳ ମଧୁର ଭାବଟି

ବିରଳ ହେଲାଣି ଭାଇ ଡାକରୁ

ଭାଳେଣି ବଢ଼ୁଛି, ଭାଇ ଡାକ ଶୁଣି

ଭାବି ଫଳ ଡରେ ଭାଇ ପାଖରୁ । ୧୭ ।

ଭାଇ ଡାକ ଶୁଣି ଭାଇଙ୍କ ଭାଲେଣି

ଏ ଦୁଃଖ କହିବା କା ଆଗେ ପୁଣି,

ଭାଇ ପତିଅରା ଭାଇଠାରେ ନାହିଁ

ହସିବେ ଭଗାରି ଏକଥା ଶୁଣି । ୧୮ ।

ଖାଲି ତ ହସିବେ ନାହିଁ ଏ କଥାକୁ

କଷି ନେବେ ଆମ ଜାତି ମହତ,

ଯେ ଯାହା ଦାଉରେ ଛାଟି ନେବା ପାଇଁ ।

କାଟିନେବେ ଆମ କାନି ପଣତ । ୧୯ ।

ଚାହିଁ ରହିଥିବା ବକ ବକ ହୋଇ

ଟାଣି ଅଣୁଥିବା ଯାବତ ଠକ,

ଆମ ଅବିବେକ- ପଣେ ବୋହିନେବେ

ଧଇଲେ କହିବେ ସେ ତାଙ୍କ ହକ । ୨୦ ।

ପର ଆସି ଘର ମାଡ଼ି ବସିଥିଲା

ଗାନ୍ଧି ତଡ଼ିଦେଲେ ଗଲା ପଳାଇ,

ଆମ ଦେଶ ଏବେ ହେଲଣି ଆମର

ଏତିକ କି ଅମେ ବୁଝିବା ନାହିଁ । ୨୧ ।

ଘରଟି ଆମର ଆମ ନ ସମ୍ଭାଳି

ପଡ଼ୋଶୀଙ୍କୁ ଯେବେ ରହିବା ଚାହିଁ ,

ଏ ଦୁଃଖ କାହାଣୀ କେ ଆମ ଶୁଣିବ

କାହାଗେ ଗୁହାରି କହିବା ଯାଇଁ । ୨୨।

ସ୍ଵାଧୀନତା ଫଳ ବିଫଳ ଏଠାରେ

ନ କହି କହିବା ଆଉ ବା କିସ,

ହାତେ ହାତେ ପାଇ ଅମୃତ ଭଣ୍ଡାର

ଖାଇ ନ ଜାଣିଲୁ ହେଲା ସେ ବିଷ । ୨୩ ।

ଆମ ଘର ବାଟ ଆମେ ନ ଚିହ୍ନିବା

ଖୋଜିବା କେ ଆସୁ ଦେବ ଚିହ୍ନାଇ

ଆମ ଘାଟ ଆସି ପଡୋଶୀ ଜଗନ୍ତୁ

ଲୁଚି ଲୁଚି ରହି ଥିବା ଅନାଇ । ୨୪ ।

କେ କାହୁଁ ଆସନ୍ତୁ ଆମରି ଭାତରେ

ପେଷା ହୋଇ ବସି ଆମ ମୁଣ୍ଡରେ,

ନାକ କାନ ମୋଡ଼ି ଯେତେ ସେ ହଲାନ୍ତୁ

ବଚନ ନ ଫୁଟୁ ଆମ ତୁଣ୍ଡରେ । ୨୫ ।

ଏହି ହେଲା ଆମ ସ୍ଵାଧୀନତା ରୂପ

ଆପେ ଆପେ ଏହା ଭିଆଉ ଥାଇଁ,

ନିକ ଅବିବେକ- ପଣ ଛଡ଼ା ଆଉ

କାହାକୁ ଦୋଷିବା ଅବା କିପାଇଁ । ୨୬ ।

ସ୍ଵାଧୀନତା ପାଇ ମହତ୍ୱ ତାହାର

ବୁଝିନାହୁଁ ଆମେ ଯେବା ଶୁଣିବେ,

ଅମଣିଷ ପଣେ ନଗଣି ଆମ୍ଭଙ୍କୁ

ମଣିଷରେ ଅବା କିମ୍ପା ଗଣିବେ । ୨୭ ।

ଆମେତ ବାଛିବା ଆମ ମୁଣ୍ତିଆଳ

ଅମପାଇଁ କାମ କରିବା ଲାଗି,

ଆମେ ଯେବେ କାମ କରାଇ ନପାରୁଁ

କିଏ ହେବ ଆମ ଦୁଃଖରେ ଭାଗୀ । ୨୮ ।

ବଛାବଛିବେଳେ କଚା କାମ କଲେ

ପଛେ ଭାଳୁଥିବା ଏ ଜଣା ଶୁଣା,

ତେବେ କାହିଁ ପାଇଁ ଆମେ ଭାଇ ଭାଇ

ନ ଭାବି ଏଥିରେ କରିବା ଊଣା । ୨୯ ।

ଭାଇ ଭାଇ ମେଳ ଲୋଡ଼ା ଏହିଠାରେ

ଭାଇ ଭାଇ ମିଳି କରିବା ଯାହା,

ସ୍ଵାଧୀନତା ଫଳ ସକଳେ ଭୁଞ୍ଜିବା

ନିଜ ସ୍ଵାଧୀନତା ବୁଝିବା ତାହା । ୩୦ ।

ଠେଲା ଠେଲି ହୋଇ ଭାଇରେ ଭାଇରେ

ପେଲିଦେଲେ ଜଣେ ଆମରି କରି,

ସେ ଜାଣେ ଏ କେହି ନୁହନ୍ତି କାହାରି

କିପାଇଁ କାହାକୁ ପୁଚ୍ଛିବ ଡରି । ୩୧ ।

ସ୍ଵାଧୀନ ରାଜ୍ୟରେ ସ୍ୱାଧୀନ କ୍ଷମତା

ସବୁଯାକ ପାଇ ସାରିଛୁଁ ଏବେ,

ଦୀନଠାରୁ ଦୀନ ହୀନଠାରୁ ହୀନ

ହୋଇ କାନ୍ଦୁଅଛୁଁ କିପାଇଁ ତେବେ ? ।୩୨।

ଅଜୀବନ ସ୍ୱାର୍ଥ ଦାନରେ ମହାତ୍ମା

ବଳି ଦେଇ ନିଜ ପ୍ରାଣ ଶେଷରେ,

ଆମରି ପାଇଁକି ସ୍ୱାଧୀନତା ଧନ

ଆଣି ଥୋଇ ଦେଇ ଗଲେ ଦେଶରେ ।୩୩।

ଭାଳି ତ ନ ଥିଲେ ଏଡ଼େ ଭାଗ୍ୟହୀନ

ଆମେ ପାଇ ସେହି ଅମୁଲ୍ୟ ନିଧି,

ଭୋଗି ନପାରିବା ପଣ୍ଡ ହୋଇଯିବ

ତାଙ୍କର ପବିତ୍ର ବାସନା ସିଦ୍ଧି ।୩୪।

କାଁହୁ ସେ ଭାଳନ୍ତେ ଯେଉଁ ଲୋକେ ଦିନେ

ଏତେ ମୁଗଧ ହୋଇ ତାଙ୍କ ତ୍ୟାଗରେ,

ଖାଲି ଦରଶନ ପାଇଁ ଧାଉଁଥିଲେ

ବଦଳି ପଡିବେ ଏଡ଼େ ବେଗରେ ।୩୫।

ଜାଣି ତ ନ ଥିଲେ ଦେଶରେ ଆମର

ଅସତ୍ୟ ପୂରିବ ଘରକୁଘର,

ସତ୍ୟ ଉଠିଯିବ ନ୍ୟାୟ ତୁଟିଯିବ

ନ ରହିବ କାହିଁ ଧର୍ମକୁ ଡର ।୩୬।

ଯେ ଗ୍ରାମ ଗହଳ ଥିଲା ତାଙ୍କ ଧ୍ୟାନ

ସେ ଗ୍ରାମରେ କୁଟ କପଟ ପଶି,

ନିରୀହ ଜନଙ୍କୁ ଦୁରୂହ ସନ୍ଧରେ

ପୁରାଇ ଏମନ୍ତେ ଦେବଟି ଧଷି ।୩୭।

କ୍ଷମତା ଲୋଭରେ ହୋଇ ଥୋକେ ଅନ୍ଧ

ଭୁଲିଯିବେ ଯେତେ ପବିତ୍ର ଭାବ,

ଦାନା କନା ଲୁଚି ଯିବ ଏ ଦେଶରୁ

ଓଲଟି ପଡ଼ିବ ଜନ ସ୍ୱଭାବ । ୩୮ ।

ଅଜ୍ଞ ଜନ ସବୁ ବିଜ୍ଞ ହୋଇଯିବେ

ବିଜ୍ଞ ଜନେ କାହିଁ ଲୁଚିବେ ଯାଇ,

ସ୍ୱାଧୀନତା ଭୋଗ ଯୋଗ ତାଙ୍କ ଭାଗ୍ୟେ

ଏ ଜନମେ ତାଙ୍କୁ ଘଟିବ ନାହିଁ ।୩୯।

ମହାତ୍ମା କଦାପି ଭାବି ତ ନ ଥିବେ

ତାଙ୍କ ସ୍ୱାଧୀନତା ସୁଯୋଗ ପାଇ,

ଭାଇରେ ଭାଇରେ ହିଂସା ବଡ଼ିଯିବ

ବାପା କଥା ପୁଏ ଶୁଣିବେ ନାହିଁ ।୪୦।

ଭାବି ସେ ନ ଥିବେ ସ୍ୱାଧୀନତା ବଳେ

ଝିଅ ଯାକ ନିଜ ସ୍ୱାମୀ ବାଛିବେ,

ବାଛିବା ବେଳକୁ ପିତା ମାତାଙ୍କର

ହିତ ଉପଦେଶ ଆଗେ ପୋଛିବେ ।୪୧।

ପତି ପତ୍ନୀ ହେବେ ସ୍ୱାଧୀନ ସ୍ଵାଧୀନା

କେହି କାହା ବଶେ ରହିବେ ନାହିଁ,

ଶିଶୁ ନ ଶୁଣିବେ ଗୁରୁଙ୍କ ଆଦେଶ

ସ୍ୱାଧୀନତା ଗୀତି ତୁଣ୍ଡରେ ଗାଇ ।୪୨।

ମହାତ୍ମା କଦାପି ଭାବି ତ ନଥିବେ

ଚୋର ଚୋରି ପାଇଁ ଦାବୀ ବାଢ଼ିବେ,

ସ୍ୱାଧୀନତା ହକ ଦାବୀରେ ସେବକ

ପ୍ରଭୁଙ୍କ ଉପରେ ଘୋଡା ଚଢ଼ିବେ ।୪୩।

ଗାନ୍ଧୀ ଥିଲେ ଶୁଣି ଜଳି ଯାଉଥାନ୍ତେ

କିସ ଭାବିଥିଲେ ହେଲା ସେ କିସ,

ରୋପିଲେ ଚନ୍ଦନ ମୂଳେ ନାଗ ସାପ

ବେଢ଼ି ଖେଳାଇଲା ଦେଶରେ ବିଷ ।୪୪।

ମଧୁସୂଦନଙ୍କ ଭାଇ ପ୍ରେମ ଟିକ

ଜାଣ ଯେଉଁଦିନ ଭାଇ ହୃଦରେ,

ବିକଶି ଉଠିବ ସ୍ୱାଧୀନତା ସୁଖ

ଘୋଟିଯିବ ସେହି ଦିନ ଦେଶରେ ।୪୫।

ବଳେ ଭାଇ ଭାବ ପ୍ରକଟି ଉଠିବ

କେହି ଅଟକାଇ ପାରିବେ ନାହିଁ,

କୂଟ କି କପଟ ଆପେ ହଟିଯିବ

ଭାଇ ସଙ୍ଗେ ମିଳିଗଲେ ଟି ଭାଇ ।୪୬।

ଭାଇ ଭାଇ ସ୍ନେହ ବନ୍ଧନ ଆମର

ହୋଇ ଉଠୁଥିବ ଯେତିକି ଟାଣ,

ଦେଶ ପରିସ୍ଥିତି ଫେରି ପଡ଼ୁଥିବ

ଚହଟି ଉଠିବ ଜାତୀୟ ପ୍ରାଣ ।୪୭।

ତେବେ ତ ଭୋଗିବା ସ୍ୱାଧୀନତା ସୁଖ

ଫୁଲି ଉଠିବ ଏ ସ୍ୱାଧୀନ ଛାତି,

ମଧୁସୂଦନଙ୍କୁ ହେଜି ମନେ ମନେ

ଭାଇ ଭାଇ ଡାକି ଯିବାଟି ମାତି ।୪୮।

Image